ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଏକ ହୃଦୟ ବିଦାରକ ଅଘଟଣ ଘଟିଯାଇଛି। କ୍ରିକେଟ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହେବା ଫଳରେ ଦୁଇଜଣ ନାବାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଝାଙ୍କରପଡ଼ା ଗ୍ରାମର ବିଶ୍ୱଜିତ ମିର୍ଦ୍ଧା ଏବଂ ସୋନପୁର ଅଞ୍ଚଳ ଚଉଁରିଆପଦର ଗ୍ରାମର ଚରନ କୁମ୍ଭାର। ଚରନ ନିଜ ମାମୁଁଘର ଗାଁ ଝାଙ୍କରପଡ଼ାକୁ ବୁଲିବାକୁ ଆସିଥିବା ବେଳେ ଏହି ବଜ୍ରାଘାତର ଶିକାର ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗ୍ରାମ ନିକଟ ପଡ଼ିଆରେ କିଛି ପିଲା କ୍ରିକେଟ ଖେଳୁଥିବା ସମୟରେ ହଠାତ ଆକାଶରେ ମେଘ ଗର୍ଜନ ସହ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ବିଶ୍ୱଜିତ ଓ ଚରନ ପଡ଼ିଆ ନିକଟରେ ଥିବା ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ତେବେ ଉଭୟେ ଗଛ ତଳେ ବସିଥିବା ଅବସ୍ଥାରେ ହଠାତ ସେହି ଗଛ ଉପରେ ପ୍ରଚଣ୍ଡ ଶବ୍ଦରେ ବଜ୍ରାଘାତ ହୋଇଥିଲା। ବଜ୍ରପାତର ତୀବ୍ରତା ଏତେ ଅଧିକ ଥିଲା ଯେ ଉଭୟେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ଟଳି ପଡ଼ିଥିଲେ।

ଖବର ପାଇ ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି। ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ମନମୁଣ୍ଡା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ବୌଦ୍ଧରୁ କୃତ୍ତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






