ଏ.କେ ବ୍ୟୁରୋ : ଭାରତକୁ ମିଳିଲା ଗ୍ୟାସର ଭଣ୍ଡାର । ଆଣ୍ଡାମାନ ସମୁଦ୍ର ଗର୍ଭରୁ ବାହାରିଲା ପ୍ରାକୃତିକ ଗ୍ୟାସ୍! । ଶ୍ରୀ ବିଜୟପୁରମ ଉପକୂଳର ୩୫୫ ମିଟର ଗଭୀରରେ ମିଳିଲା ଗ୍ୟାସ ସନ୍ଧାନ! । ଆଣ୍ଡାମାନ ଉପକୂଳରୁ ମିଳିଲା ବିପୁଳ ପ୍ରାକୃତିକ ଗ୍ୟାସର ସନ୍ଧାନ ନେଇ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ! । ଭାରତର ପ୍ରାକୃତିକ ସମ୍ପଦ ଏବଂ ଶକ୍ତି କ୍ଷେତ୍ର ପାଇଁ ଏକ ବହୁତ ବଡ଼ ସଫଳତା ସାମ୍ନାକୁ ଆସିଛି।

ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଉପକୂଳରୁ ମାତ୍ର ୧୫ କିଲୋମିଟର ଦୂର ସମୁଦ୍ର ଗର୍ଭରେ ବିପୁଳ ପରିମାଣର ପ୍ରାକୃତିକ ଗ୍ୟାସ୍ ର ସନ୍ଧାନ ମିଳିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଆନୁଷ୍ଠାନିକ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବିଷୟରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଣ୍ଡାମାନ ସମୁଦ୍ରର ‘ଶ୍ରୀ ବିଜୟପୁରମ-୩’ ଅଞ୍ଚଳରେ ଏହି ଗ୍ୟାସର ଭଣ୍ଡାର ମିଳିଛି।
ସମୁଦ୍ର ପତନରୁ ପ୍ରାୟ ୩୫୫ ମିଟର ଗଭୀର ପାଣି ଭିତରେ ଏହି ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି, ଯାହା ଭାରତର ଚାଲିଥିବା ଅନୁସନ୍ଧାନ ଅଭିଯାନର ଏକ ବଡ଼ ସଫଳତା। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଏହି ନୂତନ ଆବିଷ୍କାର ଆଣ୍ଡାମାନ ସମୁଦ୍ର ଅଞ୍ଚଳରେ ଥିବା ଅଫୁରନ୍ତ ଶକ୍ତି କ୍ଷମତାକୁ ପ୍ରମାଣିତ କରୁଛି।
ବର୍ତ୍ତମାନ ଭାରତ ନିଜର ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶରୁ ପ୍ରାକୃତିକ ଗ୍ୟାସ୍ ଏବଂ ଇନ୍ଧନ ଆମଦାନୀ ଉପରେ ବହୁ ମାତ୍ରାରେ ନିର୍ଭର କରୁଛି। ଦେଶ ଭିତରେ ଏଭଳି ନୂଆ ଗ୍ୟାସ୍ ଭଣ୍ଡାର ମିଳିବା ଦ୍ୱାରା ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ଭାରତ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ଆଶା କରାଯାଉଛି। ଏହି ବେସିନ୍ ବା ଅଞ୍ଚଳରେ ପରିବେଶକୁ ସୁରକ୍ଷିତ ରଖି କେମିତି ଅଧିକ ଖନନ କରାଯାଇପାରିବ, ସେ ନେଇ ଆଗକୁ ପ୍ରକ୍ରିୟା ଜାରି ରହିବ।






