ଏ.କେ ବ୍ୟୁରୋ :: ସରକାରୀସ୍ତରରେ ପିଏସୟୁଗୁଡ଼ିକରେ ନିଯୁକ୍ତି ପାଇଁ ତତ୍ପରତା ପ୍ରକାଶ ପାଇବା ପରେ ରାଜନୀତିକ ମହଲରେ ଉଷ୍ମତା ବୃଦ୍ଧି ପାଇଛି। ପିଏସୟୁରେ ଥଇଥାନ ଆଶାୟୀମାନେ ନିଜର ଲବି ଜୋରଦାର କରିବାରେ ଲାଗିଥିବା ଦଳୀୟ ମହଲରୁ ଜଣାପଡ଼ିଛି।ରାଜ୍ୟ ବିଜେପିର ଆଗଧାଡ଼ିର ନେତା-କର୍ମୀମାନେ ଖୁବଶୀଘ୍ର ସରକାରୀ ପଦପଦବୀରେ ଥଇଥାନ ହେବେ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କସରତ ଆରମ୍ଭ କରିଛନ୍ତି। ଆସନ୍ତାମାସରେ ମୋହନ ମାଝୀଙ୍କ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଏହାପୂର୍ବରୁ ଦଳୀୟ ନେତାମାନଙ୍କୁ ବିଭିନ୍ନ ନିଗମ ଓ ବୋର୍ଡରେ ନିଯୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ (ପିଏସୟୁ)କୁ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ମାଗିବା ପରେ ଶାସକ ବିଜେପିରେ ଆଶାୟୀମାନେ ନିଜର ଲବି ଜୋରଦାର କରିଥିବା ଜଣାପଡ଼ିଛି। ଗତମାସରେ ରାଜ୍ୟ(Odisha) ସରକାର ୨୩ଟି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ୪୬ଜଣ ବିଜେପି ନେତାନେତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ।ସୂଚନା ଅନୁସାରେ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ ଗତ ଶୁକ୍ରବାର(ମଇ ୮ତାରିଖ) ସାଧାରଣ ଉଦ୍ୟୋଗ ସଚିବଙ୍କୁ ଚିଠି ଲେଖି ରାଜ୍ୟର ସମସ୍ତ ପିଏସୟୁରେ ନୂଆ ସରକାର ଆସିବା ପରେ ହୋଇଥିବା ନିଯୁକ୍ତି ଓ ଖାଲିଥିବା ପଦବୀର ସଦ୍ୟତମ ବିବରଣୀ ତୁରନ୍ତ ଇ-ମେଲ୍ ମାଧ୍ୟମରେ ପଠାଇବାକୁ କହିଥିଲେ । ସାଧାରଣ ପ୍ରଶାସନର ଏହି ଚିଠି ପାଇବା ପରେ ଗତ ସୋମବାର ରାଜ୍ୟ ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ(ବୋର୍ଡ ଓ ନିଗମ ଆଦି)ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓଙ୍କୁ ଆବଶ୍ୟକ ତଥ୍ୟ ଦେବାକୁ କୁହାଯାଇଛି। ୨୦୨୪ ଜୁନ୍ ୧୨ରେ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିଥିଲା।
ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ୍ ୩୦ ତାରିଖ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ ଏବଂ ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସମ୍ପୂର୍ଣ୍ଣ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ବିଭାଗକୁ ଇ-ମେଲରେ ଦେବାକୁ କୁହାଯାଇଛି। କେବଳ ସେତିକି ନୁହେଁ ପିଏସୟୁରେ ଖାଲି ପଡ଼ିଥିବା ପଦବୀ ଓ ମୋଟ୍ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ମଗାଯାଇଛି। ସମସ୍ତ ପିଏସୟୁ ଏହି ତଥ୍ୟ ଆଜିସୁଦ୍ଧା ଦେଇସାରିଥିବା ଜଣାପଡ଼ିଛି।
ସରକାରୀସ୍ତରରେ ପିଏସୟୁଗୁଡ଼ିକରେ ନିଯୁକ୍ତି ପାଇଁ ତତ୍ପରତା ପ୍ରକାଶ ପାଇବା ପରେ ରାଜନୀତିକ ମହଲରେ ଉଷ୍ମତା ବୃଦ୍ଧି ପାଇଛି। ପିଏସୟୁରେ ଥଇଥାନ ଆଶାୟୀମାନେ ନିଜର ଲବି ଜୋରଦାର କରିବାରେ ଲାଗିଥିବା ଦଳୀୟ ମହଲରୁ ଜଣାପଡ଼ିଛି।
ଅବଶ୍ୟ ବୋର୍ଡ ଓ ନିଗମଗୁଡ଼ିକରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀମାନେ ସଙ୍କେତ ଦେଇ ଆସୁଥିଲେ। ଦଳ ପକ୍ଷରୁ ଏହି ନେତାମାନଙ୍କ ତାଲିକା ଚୂଡ଼ାନ୍ତ ହୋଇଥିବାବେଳେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ବୋର୍ଡ ଓ ନିଗମଗୁଡ଼ିକରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ଜଣାପଡ଼ିଛି।
ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାର ଏହି ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଚାହୁଁନଥିବା ସୂଚନା ମିଳିଛି। ବିଗତ ପ୍ରାୟ ଦୁଇବର୍ଷ ଧରି ସମସ୍ତ ସରକାରୀ ଉଦ୍ୟୋଗର ମୁଖ୍ୟ ଭାବେ ସରକାରୀ ଅଫିସରମାନେ କାର୍ଯ୍ୟରତ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ଦୁଇବର୍ଷ ବିତିବାକୁ ବସିଲାଣି କିନ୍ତୁ ସରକାରରେ କମସଂଖ୍ୟକ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଛି।
ଗତ ଏପ୍ରିଲ ମାସରେ ଦଳର ୪୬ଜଣ ନେତାନେତ୍ରୀଙ୍କୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି)ରେ ମୋହନ ସରକାର ଥଇଥାନ କରିଥିଲେ।
ନିତି ଆୟୋଗ ଢ଼ାଂଚାରେ ଗଠିତ ‘ସିଟି ଓଡ଼ିଶା’ରେ ମଧ୍ୟ ରାଜନୀତିକ ନିଯୁକ୍ତି ହେବା ନେଇ ଦଳୀୟ ମହଲରେ ବିଚାରବିମର୍ଶ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






