ଏ.କେ ବ୍ୟୁରୋ : ଜାତୀୟ ସ୍ତରର ପାରା ଆଥଲେଟ ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତ୍ତର ପ୍ରଦେଶର ମୁରାଧନଗରର ୨୪ ବର୍ଷୀୟ ଚିରାଗଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଏହି ମାମଲାରେ ପୋଲିସ ଚିରାଗଙ୍କ ପୁରୁଣା ବନ୍ଧୁଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ । ତେବେ ଖେଳ ସହିତ ଜଡିତ ଏକ ପୁରୁଣା ବିବାଦକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି । ପୋଲିସ ତାଙ୍କ ମୃତଦେହ ଶନିବାର ସାଇ ଉପବନ ଅଞ୍ଚଳରୁ ଉଦ୍ଧାର କରିଥିଲା ।
ପୋଲିସ ଗିରଫ କରିଥିବା ଯୁବକ ୟଶ ଖଟିକ ଚିରାଗଙ୍କ ପୁରୁଣା ବନ୍ଧୁ । ସ୍କୁଲ ଦିନରେ ଦୁହେଁ ଏକାଠି ଅଭ୍ୟାସ କରୁଥିଲେ । କିଛି ଦିନ ପୂର୍ବରୁ ଡକ୍ୟୁମେଣ୍ଟ ଭେରିଫିକେସନ ସମୟରେ ଚିରାଗ ୟଶଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏଥିପାଇଁ ୟଶଙ୍କ କ୍ବାଲିଫିକେସନ ରଦ୍ଦ ହୋଇଥିଲା ଏବଂ ସେ ଖେଳ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । ହୁଏତ ଏଥିପାଇଁ ୟଶ ପ୍ରତିଶୋଧ ପରାୟଣ ହୋଇ ଏଭଳି କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।
ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ଚିରାଗ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିବା ସହ ଆଗାମୀ ପାରା ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିଥିଲେ । ଚଳିତବର୍ଷ ଅକ୍ଟୋବରରେ ଜାପାନରେ ହେବାକୁ ଥିବା ଏସୀୟାନ ଗେମ୍ସ ପାଇଁ ଚିରାଗଙ୍କ ଚୟନ ହୋଇଥିଲା । ତାଙ୍କ ପରିବାରରେ ଖୁସିର ମାହୋଲ ଥିଲା । କିନ୍ତୁ ତାଙ୍କୁ ହତ୍ୟା ପରିବାର ପାଇଁ ଦୁଃଖ ଆଣିଦେଇଛି ।






