ଏ.କେ ବ୍ୟୁରୋ : ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସାଇବର ଠକେଇ ଓ ନିଶା କାରବାର ରୋକିବା ଉପରେ ଗୁରୁତ୍ୱ। ପୁରୁଷୋତ୍ତମପୁର ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୁଦୃଢ଼ କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ପୁରୁଷୋତ୍ତମପୁର ଥାନା ପକ୍ଷରୁ ଏକ ପୋଲିସ-ଜନ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସାଇବର ଠକେଇରୁ ସତର୍କତା ଏବଂ ନିଶା କାରବାର ରୋକିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଭୂତସରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ କଇଠଡ଼ା ଗ୍ରାମର ବଡ଼ ରାଉଳ ମନ୍ଦିର ପରିସରରେ ଆୟୋଜିତ ଏହି ବୈଠକରେ ପୋଲିସ, ପ୍ରଶାସନ, ଆମ ପୋଲିସ ସମିତି ଓ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଜନସମସ୍ୟା ଓ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଥାନା ଅଧିକାରୀ କୁଳମଣି ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ତହସିଲଦାର ବିନୋଦ କୁମାର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫୁଲ୍ଲ ରଥ, ଓକିଲ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଆମ ପୋଲିସ ସମିତି ସଭାପତି ରାଜକୁମାର ବସ୍ତିଆ ଓ ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କ ସମସ୍ୟାର ସମାଧାନ, ସାଇବର ଠକେଇରୁ ରକ୍ଷା ପାଇବା ପାଇଁ ସଚେତନତା ଏବଂ ନିଶା କାରବାର ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଥିଲା। ଥାନା ଅଧିକାରୀ ଶ୍ରୀ ସେଠୀ ଜନସାଧାରଣଙ୍କୁ ପୋଲିସକୁ ଭୟ ନକରି ନିଜର ଅଭିଯୋଗ ନିର୍ଭୟରେ ଜଣାଇବାକୁ ଆହ୍ୱାନ ଦେଇଥିଲେ। ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ତହସିଲଦାର ଶ୍ରୀ ବେହେରା ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସର୍ବଦା ପ୍ରତିବଦ୍ଧ ବୋଲି ଆଶ୍ୱାସନା ଦେଇଥିଲେ। ବୈଠକରେ ବରିଷ୍ଠ ନାଗରିକମାନେ ମଧ୍ୟ ନିଜ ନିଜର ସମସ୍ୟା ଓ ମତାମତ ଉପସ୍ଥାପନ କରିଥିଲେ। ଶେଷରେ ଆମ ପୋଲିସ ସମିତି ସଭାପତି ରାଜକୁମାର ବସ୍ତିଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୁଷୋତ୍ତମପୁର ରୁ ତ୍ରିଲୋଚନ ଦାଶଙ୍କ ରିପୋର୍ଟ ଆପଣଙ୍କ ଖବର






