ଏ.କେ ବ୍ୟୁରୋ : ଓଡ଼ିଶା ପୁଲିସରେ ପ୍ରାୟ ୭୬୬୪ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଗ୍ରୀନ୍ ସିଗନାଲ୍ ଦିଆଯାଇଛି। ଏହାସହିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପୁଣିଥରେ ଆରମ୍ଭ କରିବାକୁ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ରାଜ୍ୟରେ ଚାକିରି ଆଶାୟୀଙ୍କ ପାଇଁ ଖୁସିଖବର। ଓଡ଼ିଶା ପୁଲିସରେ ପ୍ରାୟ ୭୬୬୪ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଗ୍ରୀନ୍ ସିଗନାଲ୍ ଦିଆଯାଇଛି। ଏହାସହିତ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପୁଣିଥରେ ଆରମ୍ଭ କରିବାକୁ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।

ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ ନିମନ୍ତେ ନବଗଠିତ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ ସିଲେକ୍ସନ କମିଶନ(ଓୟୁଏସଏସଏସସି)କୁ ଚିଠି ଲେଖି ରାଜ୍ୟ ଗୃହ ବିଭାଗର ଉପସଚିବ ତରୁଣ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଅଟକି ରହିଥିବା ପୁଲିସ ଏସଆଇ ଓ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଜଣାପଡ଼ିଛି।
ଗୃହ ବିଭାଗର ଚିଠି ଅନୁସାରେ, ଓଡ଼ିଶା ପୁଲିସ(Odisha Police)ର ଚାରିଟି ପ୍ରମୁଖ ବର୍ଗରେ ଏହି ନିଯୁକ୍ତି ସମ୍ପାଦନ ହେବ। ଏଥିରେ ୩୦୦ଟି କନେଷ୍ଟବଳ(କମ୍ୟୁନିକେସନ) ପଦବୀ ଓ ୨୨୧୨ଟି ଓଆଇଏସଏଫ କନେଷ୍ଟବଳ ପଦବୀ ସମେତ ୪୨୧୯ଟି ସିଭିଲ୍ କନେଷ୍ଟବଳ ପଦବୀ ଓ ୯୩୩ଟି ସବଇନ୍ସପେକ୍ଟର ଓ ଏହା ସମତୁଲ ପଦବୀଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଗୃହ ବିଭାଗ କହିଛି। ବିଶେଷକରି ପୂର୍ବରୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ବା ଓପିଆରବିକୁ ସବଇନ୍ସପେକ୍ଟର ନିଯୁକ୍ତି ପାଇଁ ଦାୟିତ୍ୱ ଦିଆଯାଇଥିଲା, ମାତ୍ର ପ୍ରଶ୍ନପତ୍ର ଲିକ୍ ଯୋଗୁ ଏହି ପରୀକ୍ଷା ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହି ପରୀକ୍ଷା କରିବା ଦାୟିତ୍ୱ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ ସିଲେକ୍ସନ କମିଶନଙ୍କୁ ନ୍ୟସ୍ତ ହୋଇଛି। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପୂର୍ବରୁ ପୁଲିସ୍ ଏସଆଇ ପଦବୀ ପାଇଁ ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯେଉଁ ଆଶାୟୀମାନେ ପୂର୍ବରୁ ଆବେଦନ କରିସାରିଛନ୍ତି, ସେମାନେ ସମସ୍ତେ ଏହି ନୂଆ ପରୀକ୍ଷା ପ୍ରକ୍ରିୟାରେ ଭାଗ ନେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ବିବେଚିତ ହେବେ।
ଏଥିପାଇଁ ପୁରୁଣା ଆବେଦନପତ୍ର ଓ ସମସ୍ତ ସମ୍ପୃକ୍ତ ତଥ୍ୟକୁ ଓପିଆରବି ପକ୍ଷରୁ କମିଶନଙ୍କୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତାର ତଦନ୍ତ ସିବିଆଇ କରୁଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ପୁଣିଥରେ ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହି ସମସ୍ତ ଖାଲି ପଦବୀ ପାଇଁ ଯଥାଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ପରୀକ୍ଷା ଆୟୋଜନ କରିବାକୁ କମିଶନଙ୍କୁ ଗୃହ ବିଭାଗ କହିଛି । ଯାହାଫଳରେ ଦୀର୍ଘ ପ୍ରାୟ ୯-୧୦ମାସ ଧରି ରାଜ୍ୟରେ ଠପ୍ ହୋଇପଡ଼ିଥିବା ପୁଲିସ ନିଯୁକ୍ତି ପ୍ରକ୍ରିୟା ପୁଣିଥରେ କ୍ରିୟାଶୀଳ ହୋଇପାରିବ ବୋଲି କୁହାଯାଉଛି।






