ଏ.କେ ବ୍ୟୁରୋ : ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବାଘବର ପଞ୍ଚାୟତର ବରଡାନାଳୀ ଗ୍ରାମରେ ନିର୍ମାଣାଧୀନ ଚେକ୍ ଡ୍ୟାମ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ମହାଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି। ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାର୍ଯ୍ୟ ଚାଲିଥିବା ବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ନିର୍ମାଣ ସ୍ଥଳରେ ଶ୍ରମିକମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନାହିଁ। ନିର୍ମାଣ କାମରେ ବାଲି, ଚିପ୍ସ ଓ ସିମେଣ୍ଟର ମିଶ୍ରଣ ନିର୍ଦ୍ଧାରିତ ମାନକ ଅନୁଯାୟୀ ହେଉନଥିବା ବେଳେ ମସଲା ଭିତରୁ ବଡ଼ ବଡ଼ ପଥର ବାହାରୁଥିବା ଅଭିଯୋଗ ହୋଇଛି। ଖମ୍ଭଗୁଡ଼ିକରେ ଠିକ୍ ଭାବରେ ସିମେଣ୍ଟ ପ୍ରୟୋଗ କରାଯାଉ ନଥିବାରୁ କାର୍ଯ୍ୟର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି।
ଏଥିସହିତ ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ଯଥା ହେଲମେଟ୍ ଯୋଗାଇ ଦିଆଯାଇନଥିବା ବେଳେ ବିଦ୍ୟୁତ୍ ସଂଯୋଗରେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବା ଦେଖାଯାଇଛି। ନିର୍ମାଣ ସ୍ଥଳରେ ଥିବା ସୂଚନା ଫଳକରେ ପ୍ରକଳ୍ପ ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ଉଲ୍ଲେଖ ନଥିବା ମଧ୍ୟ ଅଭିଯୋଗର ବିଷୟ ହୋଇଛି। ଅନ୍ୟପଟେ ଜଙ୍ଗଲରୁ ଆଣାଯାଇଥିବା କଞ୍ଚା କାଠ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ବେଳେ କମ୍ ବୟସର ପିଲାମାନଙ୍କୁ କାମରେ ନିୟୋଜିତ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।






