ଏ.କେ ବ୍ୟୁରୋ : ଗଞ୍ଜାମ ବ୍ଲକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବହେଳା: ବିପର୍ଯ୍ୟସ୍ତ ସ୍କୁଲ୍, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ବ୍ଲକର ୧୦-୧୫ ବିଦ୍ୟାଳୟକୁ ନେଇ କ୍ଲଷ୍ଟର ଗଠନ କରିଯାଇଛି। ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସିଆରସିସି ନିଯୁକ୍ତି ଦିଆଯାଇଛି। ଗଞ୍ଜାମ ବ୍ଲକରେ ଥିବା ୧୪ଟି କ୍ଲଷ୍ଟରରେ ଥିବା ସିଆରସିସିମାନଙ୍କ ହାତରେ ଦାୟିତ୍ଵ ନ୍ୟସ୍ତ ଥବାବେଳେ ନିଜ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଭୁଲି ଯାଇଥିବା ନେଇ ଅଭିଯୋଗ ହୋଇଛି। ନିୟମ ଅନୁସାରେ ପ୍ରତି ସିଆରସିସି ନିଜ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ଶିଶୁ ମନ୍ଦିର ସ୍କୁଲକୁ ନିୟମିତ ପରିଦର୍ଶନ କରି ପାଠ ପଢ଼ାର ମାନ ଯାଞ୍ଚ କରିବା, ଶିକ୍ଷକଙ୍କୁ ନୂଆ ଶିକ୍ଷା ପଦ୍ଧତିର ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦେବା, ସ୍କୁଲ ଶିକ୍ଷା ଅଧିକାରୀଙ୍କୁ ସତ୍ୟ ଓ ନିରପେକ୍ଷ ରିପୋର୍ଟ ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ, ପୋଷାକ, ବହି ଓ ଛାତ୍ରବୃତ୍ତି ଭଳି ସରକାରୀ ଯୋଜନାର ତଦାରଖ କରିବା ସହ ଡାଟାର ସଠିକ ସଂଗ୍ରହ କରିବା, ପରୀକ୍ଷା ସୁଚାରୁ ପରିଚାଳନା କରିବା, ପ୍ରଧାନ ଶିକ୍ଷକଙ୍କ ସମସ୍ୟା ବୈଠକ କରିବା, ସ୍କୁଲ ଛାଡ଼ିଥିବା ଡ୍ରପ ଆଉଟ ପିଲାଙ୍କୁ ଫେରାଇ ଆଣିବା ଓ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ସହ ସମନ୍ଵୟ ରକ୍ଷା କରିବା ଭଳି ଦାୟିତ୍ଵ ଦିଆଯାଇଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କେବଳ ଫାଇଲ ଓ କାଗଜପତ୍ରରେ ସୀମିତ ହୋଇ ରହିଛି।

ଅଭିଭାବକ ମହଲରୁ ମିଳିଥିବା ଅଭିଯୋଗ ଅନୁସାରେ ୧୪ଟି କ୍ଲଷ୍ଟରର ଅଧିକାଂଶ ସିଆରସିସି ନିଜ ଇଚ୍ଛାରେ କାମ କରୁଛନ୍ତି। ମନ ହେଲେ ଦିନେ କ୍ଲଷ୍ଟରକୁ ଆସୁଛନ୍ତି ଓ ଯାଉଛନ୍ତି ନହେଲେ ଅଧିକାଂଶ ସମୟ ତାଙ୍କର ଦର୍ଶନ ମିଳୁନାହିଁ। ଏପରିକି ଗୋଟିଏ ସ୍କୁଲକୁ ମଧ୍ୟ ପାଦ ପକାଉ ନାହାନ୍ତି। ତା ସାଙ୍ଗକୁ ବ୍ଲକ ଶିକ୍ଷା, ବ୍ଲକ ଏବିଇଓ ଏବଂ ଜିଲ୍ଲା ପୃଷ୍ଠଭୂମିର ଶିକ୍ଷା ଅଧ୍ୟକ୍ଷାମାନେ ମଧ୍ୟ ପିଲାଙ୍କୁ ଯାଇ ତଦାରଖ କରୁନଥିବାରୁ ଏମାନଙ୍କ ସ୍ଵେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି। ଫଳରେ ସରକାରୀ, ପ୍ରାଇଭେଟ୍ ଓ ଶିଶୁ ମନ୍ଦିର ସବୁ ସ୍କୁଲରେ ଶିକ୍ଷକମାନେ ଏବେ ବେଲଗାମ ହୋଇ ପଡ଼ିଛନ୍ତି। ଫଳରେ ହଜାର ହଜାର କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ସିଆରସିସିମାନେ ଏବିଇଓ ମାନଙ୍କ ଛତ୍ର ଛାୟାରେ ରହି ମନମାନି କରୁଛନ୍ତି ବୋଲି ଜଣାପଡ଼ିଛି। ତେଣୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀ ଏହି ୧୪ଟି କ୍ଲଷ୍ଟରର ତୁରନ୍ତ ଅଚାନକ ତଦନ୍ତ କରି ଦାୟିତ୍ଵରେ ଅବହେଳା କରୁଥିବା ସମସ୍ତ ସିଆରସିସି ଏବିଇଓ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଦାବି ହେଉଛି । ଗଞ୍ଜାମ ରୁ ଦୀପକ କୁମାର ସାହୁ ଙ୍କ ରିପୋର୍ଟ ଆପଣଙ୍କ ଖବର ।






