ଏ . କେ ବ୍ୟୁରୋ : ବାସିପିଠାରୁ ଭୁପତ ରାସ୍ତାରେ ବାଘ ଚମଡ଼ା କିଣାବିକା ନେଇ ବନ ବିଭାଗକୁ ଏକ ବିଶେଷ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା । ଶିମିଳିପାଳ ଦକ୍ଷିଣ ଡିଭିଜନ୍ର ଉପନିର୍ଦ୍ଦେଶକ ସୁମିତ୍ କୁମାର କରଙ୍କ ନିର୍ଦ୍ଦେଶରେ ଏନଫୋର୍ସମେଣ୍ଟ ଟିମ୍ ତୁରନ୍ତ ସେହି ସ୍ଥାନରେ ଚଢ଼ାଉର ଜାଲ ବିଛାଇଥିଲା । ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ସକ୍ରିୟ ହୋଇଛନ୍ତି ରକ୍ତମୁଖା ବନ୍ୟପ୍ରାଣୀ ଶିକାରୀ ।

ଏକ ବିରଳ କଳା ମହାବଳ ବାଘ (ମିଲେନାଷ୍ଟିକ ଟାଇଗର୍) ଛୁଆର ଶିକାର କରାଯାଇଥିବା ବେଳେ ଏହାର ଚମଡ଼ାକୁ ଜବତ୍ କରିବାରେ ବନ ବିଭାଗ ସଫଳ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଅଞ୍ଚଳରେ ଏହି ବିରଳ ବାଘଛାଲର ବେଆଇନ ଚୋରା ଚାଲାଣ ପାଇଁ ଡିଲ୍ ଚାଲିଥିବା ବେଳେ ଶିମିଳିପାଳ ଦକ୍ଷିଣ ଡିଭିଜନ୍ର ଏନଫୋର୍ସମେଣ୍ଟ ଟିମ୍ ଅତର୍କିତ ଚଢ଼ାଉ କରି ଏହି ବଡ଼ ସଫଳତା ହାସଲ କରିଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ ଆନ୍ତଃଜିଲ୍ଲା ମାଫିଆଙ୍କୁ ଗିରଫ କରାଯିବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣା ମୁତାବକ, ବାସିପିଠାରୁ ଭୁପତ ରାସ୍ତାରେ ବାଘ ଚମଡ଼ା କିଣାବିକା ନେଇ ବନ ବିଭାଗକୁ ଏକ ବିଶେଷ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା । ଶିମିଳିପାଳ ଦକ୍ଷିଣ ଡିଭିଜନ୍ର ଉପନିର୍ଦ୍ଦେଶକ ସୁମିତ୍ କୁମାର କରଙ୍କ ନିର୍ଦ୍ଦେଶରେ ଏନଫୋର୍ସମେଣ୍ଟ ଟିମ୍ ତୁରନ୍ତ ସେହି ସ୍ଥାନରେ ଚଢ଼ାଉର ଜାଲ ବିଛାଇଥିଲା । ବନ କର୍ମଚାରୀମାନେ ଘଟଣାସ୍ଥଳରେ ବେଆଇନ ଡିଲ୍ କରୁଥିବା ବେପାରୀମାନଙ୍କୁ ଚତୁରତାର ସହ ମାଡ଼ି ବସିବା ସହ ସେମାନଙ୍କ ନିକଟରୁ ଗୋଟିଏ କଳାବାଘର ଚମଡ଼ା ଉଦ୍ଧାର କରିଥିଲେ । ମୃତ ବାଘର ବୟସ ପ୍ରାୟ ଦୁଇ ବର୍ଷ ହେବ ଏବଂ ତାହା ଏକ ବାଘ ଛୁଆ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଖୁଣ୍ଟା ଥାନା କୁସୁମଘାଟି ଗ୍ରାମର ଗଙ୍ଗାଧର ମୁର୍ମୁ (୬୨), କୁଳିଅଣା ଥାନା କାଠରୁମା ଗ୍ରାମର ରାମଦାସ ହେମ୍ବ୍ରମ (୪୦) ଏବଂ ବାଙ୍ଗରିପୋଷୀ ଥାନା ଯୋକା ଗ୍ରାମର ଭିମା ବାସ୍କେ (୪୦) ସାମିଲ ଅଛନ୍ତି । ବନ ବିଭାଗ ସେମାନଙ୍କ ନିକଟରୁ ବାଘଛାଲ ସମେତ ଚୋରା ଚାଲାଣରେ ବ୍ୟବହୃତ ୩ଟି ମୋଟର ସାଇକେଲ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ୍ କରିଛି । ଆଜି ସମସ୍ତ ଅଭିଯୁକ୍ତଙ୍କର ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯିବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ଶିମିଳିପାଳ ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ବଡ଼ ଦାବି କରାଯାଉଥିଲେ ମଧ୍ୟ ଏଭଳି ବିରଳ କଳା ମହାବଳ ବାଘର ଶିକାର ପରିବେଶବିତ୍ ଏବଂ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି । ସମଗ୍ର ବିଶ୍ୱରେ କେବଳ ଶିମିଳିପାଳରେ ହିଁ ଏହି ପ୍ରକାରର ବିରଳ ମିଲେନାଷ୍ଟିକ ବାଘ ଦେଖିବାକୁ ମିଳୁଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି । ଏହି ବେଆଇନ ଶିକାର ପଛରେ କୌଣସି ବଡ଼ ଆନ୍ତଃରାଷ୍ଟ୍ରୀୟ ଚୋରା ଚାଲାଣ ର୍ୟାକେଟ୍ର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ଖୋଳତାଳ ଜାରି ରହିଛି ।






