ଏ.କେ ବ୍ୟୁରୋ : ଚାରି ଦିନ ପରେ କୂଅ ଭିତରୁ ଉଦ୍ଧାର ହେଲେ ଜଣେ ବ୍ୟକ୍ତି । ବରଗଡ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ନର୍ସରୀରେ ନିଛାଟିଆ ସ୍ଥାନରେ ଥିବା ଏକ କୂଅରୁ ଜୀବନ୍ତ ଉଦ୍ଧାର କରାଯାଇଛି । କୂଅ ଭିତରୁ ଉଦ୍ଧାର ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ପୁରେନା ଗାଁର ତୁଳସୀରାମ ବରିହା ।
ସୂଚନା ଅନୁସାରେ, ଗତ ରବିବାର ପୂର୍ବାହ୍ନ ପ୍ରାୟ ୩ଟାରେ ୫ ଜଣ ତୁଳସୀରାମଙ୍କୁ ମାଡ଼ ମାରି ବା ପରେ ସେ ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ । ତୁଳସୀରାମ ୪ ଦିନ ହେଲା କୂଅ ଭିତରେ ଭୋକଉପାସରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଥିଲେ । ଆଜି ସମଲାଇପଦର ଗାଁର ଜଣେ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୂଅରେ ପଡ଼ି ଥିବା ବ୍ୟକ୍ତିଙ୍କ ପାଟି ଶୁଣି ଗାଁରେ ଜଣାଇଥିଲେ । ପରେ ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁଳସୀରାମଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତ ୩ ଦିନ ହେଲା ତୁଳସୀରାମ ନିଖୋଜ ଥିବା ନେଇ ପଦ୍ମପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।






