AK ଏଟିଏମ ଲୁଟର ନୂଆ ତରିକା । ସିସିଟିଭିରେ ରଙ୍ଗ ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ମୟୂରଭଞ୍ଜ ଖୁଣ୍ଟା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ବଙ୍ଗଳା ଛକରେ ଥିବା ଏକ ଏସଵିଆଇ ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ ।

ଲୁଟେରାମାନେ ଏଟିଏମ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶି ଲୁଟିଛନ୍ତି । ଗ୍ୟାସ କଟରରେ ଏଟିଏମକୁ କାଟି ଲୁଟ କରିଛନ୍ତି । ଲୁଟେରା ମାନେ ସମସ୍ତ କ୍ୟାସ ଟ୍ରେରୁ ଲୁଟ କରି ଫେରାର ହୋଇଯାଇଛନ୍ତି । ଏପରିକି ଲୁଟ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନଥିବା ବେଳେ ଗତକାଲି ଏହି ଏଟିଏମରେ ଟଙ୍କା ଲୋଡ଼ ହୋଇଥିବା କୁହାଯାଉଛି । ତାହାକୁ ନଜର କରିଲେ ବ୍ୟାପକ ଭାବେ ଲୁଟ ହୋଇଥିବା କୁହାଯାଉଛି । ଖୁଣ୍ଟା ପୁଲିସ୍ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।






