ମୟୂରଭଞ୍ଜ ଜିଲ୍ଲାର ଝାରପଖରୀଆ ଅଞ୍ଚଳରୁ ଆସିଛି ଏକ ମାନବିକତାର ଉଦାହରଣ। ରାଜାଲକା ଛକ ନିକଟରେ ଜଣେ ଅଜଣା ବୃଦ୍ଧ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ଆସନ୍ତୁ ଦେଖିବା ଏହି ରିପୋର୍ଟ।
ମୟୂରଭଞ୍ଜ ଜିଲ୍ଲା ଝାରପଖରୀଆ ରାଜାଲକା ଛକ ନିକଟରେ ଜଣେ ଅଜଣା ବୃଦ୍ଧ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ସହାୟତା ପାଇଁ ଆଗକୁ ଆସିଥିଲେ।
ଖବର ପାଇ ବିଜେଡି ସାରସକଣା ବ୍ଲକ ସଭାପତି ମଣିଶଙ୍କର ବାରିକ, ଯିଏକି ସ୍ଥାନୀୟ ଅଞ୍ଚଳରେ “ମଣି ଭାଇ” ନାମରେ ପରିଚିତ, କିଛି ଯୁବକଙ୍କ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ଝାରପଖରୀଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା କେନ୍ଦ୍ରରେ ମହିଳାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ସମୟୋପଯୋଗୀ ପଦକ୍ଷେପ ଓ ମାନବିକତା ପ୍ରଦର୍ଶନ କରି ଜଣେ ଅସହାୟ ବୃଦ୍ଧାଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ଥାନୀୟ ଯୁବକ ଓ ମଣିଶଙ୍କର ବାରିକଙ୍କୁ ସାଧାରଣ ଲୋକ ପ୍ରଶଂସା କରୁଛନ୍ତି।






