ଏ.କେ ବ୍ୟୁରୋ : ଅସାମାଜିକଙ୍କ ଦୌରାତ୍ମ୍ୟ ସୀମା ଟପିବା ପରେ ରାଜ୍ୟକୁ ଅପରାଧ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦେଶ । ଯାହାକୁ ନେଇ ଆକ୍ସନ ମୋଡରେ ଓଡିଶା ପୁଲିସ । ପୁଲିସ୍ ଡିଜିଙ୍କ ନିର୍ଦ୍ଦେଶ ପରେ ସପ୍ତାହକ ଭିତରେ ଓଡ଼ିଶା ପୁଲିସ ରାଜ୍ୟରେ ୪ ଜଣଙ୍କୁ ଏନକାଉଣ୍ଟର କରିଛି ।
– ମେ’ ୧୬ ତାରିଖ ବ୍ରହ୍ମପୁର ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକକୁ ଏନକାଣ୍ଟର କରିଛି। ଗୁଳି ମାଡ କରି ଫେରାର ହେବାକୁ ବସିଥିବାବେଳେ ପାଲଟା ଗୁଳି କରିଥିଲା ବ୍ରହ୍ମପୁର ପୁଲିସ୍। ଦିପୁନା ବିରୋଧରେ ରହିଛି ୧୨ରୁ ଅଧିକ ମାମଲା।
– ମେ’ ୧୭ ତାରିଖ ବୁର୍ଲା ପ୍ଲାନେଟାରିୟମ୍ ଛକରେ ୧୪ ଅପରାଧରେ ସଂପୃକ୍ତ ମନୀଷ ସାହୁକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୁଲିସ ।
– ମେ’ ୧୨ ତାରିଖରେ ବେଲପାହାଡ଼ କରଲା ଖମନ ଜଙ୍ଗଲରେ ଚାନ୍ଦ ଏବଂ ଟାବୁ ନାମକ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲା ଝାରସୁଗୁଡା ପୁଲିସ।
ଓଡିଶା ପୁଲିସ ଆରମ୍ଭ କରିଛି ସ୍ପେସାଲ ଡ୍ରାଇଭ। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅଭିଯାନ। ୫ ଦିନିଆ ଅଭିଯାନରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଜଣ ଅଭିଯୁକ୍ତଙ୍କୁ କରାଯାଇଛି କୋର୍ଟ ଚାଲାଣ । ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ୩୧ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଆଗକୁ ମଧ୍ୟ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ପୁଲିସ୍ ଡିଜି ୱାଇ ବି ଖୁରାନିଆ। କହିଛନ୍ତି ଓଡ଼ିଶାରେ ଅପରାଧୀଙ୍କ ସ୍ଥାନ ନାହିଁ। ଦାଗୀ, ଜେଲ୍ ଫେରନ୍ତା, ପେସାଦାର ଅପରାଧୀ ଓ ଅସାମାଜିକଙ୍କ ତାଲିକା ପ୍ରସ୍ତୁତ ଚାଲିଛି। ପୁଲିସର କଠୋର ଆଭିମୁଖ୍ୟ ଦେଖି ଅପରାଧୀଙ୍କ ଛାତିରେ ଛନକା ପଶିଛି ।






